ଅମାନିଆଙ୍କ ପାଇଁ ନୀଳଗିରିର ୫ଟି ପ୍ରବେଶ ପଥ ସିଲ

ନୀଳଗିରି: ଅଗଷ୍ଟ ୮: (ସ.ବ୍ୟୁ): ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ସୁଦ୍ଧା ନୀଳଗିରି ବ୍ଲକ ଓ ଏନ୍‌ଏସିରେ ମୋଟ ୬୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ କମିବାରେ ନା ଧରୁନାହିଁ ମହାମାରୀ କରୋନା । ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ରାତି ୧୨ଟାରୁ ମଙ୍ଗଳବାର ସକାଳ ୫ଟା ପର୍ଯ୍ୟନ୍ତ ନୀଳଗିରି ଏନ୍‌ଏସିକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସୂଚନା ଦିଆଯିବା ସହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ନୀଳଗିରି ଉପଜିଲ୍ଲାପାଳ ହରଶ୍ଚନ୍ଦ୍ର ଜେନା । ଅଳ୍ପଦିନ ମଧ୍ୟରେ ନୀଳଗିିରି ଏନ୍‌ଏସିରେ ଅନେକ କରୋନା ପଜିଟିଭ ଚିହ୍ନଟ ହେବାରୁ ୬ତାରିଖ ରାତି ୧୨ଟାରୁ ୧୧ ତାରିଖ ସକାଳ ୫ଯାଏଁ ନୀଳଗିରି ଏନ୍‌ଏସି ଅଞ୍ଚଳ ସମ୍ପୂର୍ଣ୍ଣ ସଟଡାଉଡ଼ ରହିବ ବୋଲି ସୂଚନା ଦେଇଛନ୍ତି ନୀଳଗିରି ଉପଜିଲ୍ଲାପାଳ । ସହରର ଘାଟଘର ସହିଛକ, କଦମ୍ବସାହି ଛକ, ବସ୍‌ଷ୍ଟାଣ୍ଡ ବାଇପାସ୍ ନିକଟସ୍ଥ ବିଜୁପଟ୍ଟନାୟକ ଛକ, ମିତ୍ରପୁର ଯିବା ରାସ୍ତାର ଇଲେକ୍ଟ୍ରି ଅଫିସ ଛକ,ମହିଳା ମହାବିଦ୍ୟାଳୟ ନିକଟ ହନୁମାନ ମନ୍ଦିର ଛକଠାରେ ପୁଲିସ ପକ୍ଷରୁ ବେରିକେଟ୍ କରାଯାଇ କଡ଼ାକଡ଼ି ଚେକିଂ ବ୍ୟବସ୍ଥା କରାଯାଇଛି । କେବଳ ଅତି ଜରୁରୀସେବାକୁ ଛାଡ଼ି ସମସ୍ତ ଗାଡ଼ିକୁ ଯାଞ୍ଚ କରାଯାଉଛି । ନିୟମ ଖିଲାପକାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଉଥିବା ବେଳେ ଅନ୍ୟଗାଡ଼ି ଗୁଡ଼ିକୁ ଫେରାଇ ଦିଆଯାଉଛି । ନୀଳଗିରି ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରତନ କୁମାର ପଟ୍ଟନାୟକ, ତହସିଲଦାର ଅଶେଷ କୁମାର ନାୟକ, ଥାନା ଆଇଆଇସି ମିନତୀ ବିଶ୍ୱାଳ ପ୍ରମୁଖ ବଜାରରେ ପେଟ୍ରୋଲିଂ କରୁଥିବା ଦେଖିବାକୁ ମିଳୁଛି ।

Comments are closed.