ଅବସର ନେଲେ ଧୋନିଙ୍କ ପାକିସ୍ତାନୀ ଫ୍ୟାନ୍‌

ନୂଆଦିଲ୍ଲୀ, ଅଗଷ୍ଟ ୧୮: ଭାରତର ପୂର୍ବତନ ଅଧିନାୟକ ତଥା କ୍ୟାପଟେନ କୂଲ ମହେନ୍ଦ୍ର ସିଂ ଧୋନିଙ୍କ ଅନ୍ତର୍ଜାତିକ କ୍ରିକେଟରୁ ଅପ୍ରତ୍ୟାସିତ ଅବସର ତାଙ୍କ ପାକିସ୍ତାନୀ ସୁପର୍‌ଫ୍ୟାନ୍‌ ମହମ୍ମଦ ବିସିର ବୋଜାଇଙ୍କୁ ବ୍ୟଥିତ କରିଛି । ଏହି ପରିପ୍ରେକ୍ଷୀରେ ସେ ଆଉ ଭାରତ-ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ କୌଣସି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଦେଖିବାକୁ ଯିବେନି ବୋଲି ଘୋଷଣା କରିଛନ୍ତି । କରାଚିରେ ଜନ୍ମିତ ‘ଚାଚା ସିକାଗୋ’ ଭାବେ ପରିଚିତ ବସିର କ୍ରିକେଟ ଦେଖିବା ଛାଡ଼ିଦେଇଥିବା ଘୋଷଣା କରିଛନ୍ତି । ସିକାଗୋରେ ରେସ୍ତୋରା ଚଳାଉଥିବା ବସିର ଅନେକ ସମୟରେ ଧୋନିଙ୍କୁ ପ୍ରଶଂସା କରି ପାକିସ୍ତାନୀ ଫ୍ୟାନ୍‌ଙ୍କ ରୋଷର ଶିକାର ହୋଇଛନ୍ତି । ବସିର ଟ୍ୱିଟ୍‌ କରି ଜଣାଇଛନ୍ତି ଧୋନିଙ୍କ ଅବସର ପରେ ମୋର ଆଉ ମ୍ୟାଚେ୍‌ ଦେଖିବାର କୌଣସି ଆଗ୍ରହ ନାହିଁ । ଏଥିପାଇଁ ମୁଁ ସନ୍ନ୍ୟାସ ନେଉଛି । ଅବସର ମିଳିଲେ ଖୁବ୍‌ଶୀଘ୍ର ରାଞ୍ଚି ଯାଇ ତାଙ୍କ ବାସଭବନରେ ଧୋନିଙ୍କୁ ଦେଖାକରିବି । ବସିର ଆହୁରି ମଧ୍ୟ କହିଛନ୍ତି, ପ୍ରତି ବିଶ୍ୱସ୍ତରୀୟ ଖେଳାଳିଙ୍କୁ ଦିନେ ନା ଦିନେ ବିଦାୟ ନେବାକୁ ପଡ଼େ । ହେଲେ ଧୋନି ଯେପରି ଭାବେ ବିଦାୟ ନେଲେ ତାହା ଦୁଃଖଦାୟକ । ଧୋନିଙ୍କ ଭଳି ଖେଳାଳି ସବୁଠୁ ମର୍ଯ୍ୟାଦାପୂର୍ଣ୍ଣ ବିଦାୟର ହକ୍‌ଦାର ଥିଲେ ।

Comments are closed.