ଅନ୍‌ଲାଇନ୍‌ ମେଡିସିନ୍‌ରେ ରିଲାଏନ୍ସର ଏଣ୍ଟ୍ରି

କରୋନା କାଳରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଖୁବ୍‌ ବ୍ୟବସାୟ କରିଛି । ଫଳତଃ ଅମ୍ବାନୀ ପୃଥିବୀର ସବୁଠାରୁ ଧନୀ ତାଲିକାର ପଞ୍ଚମ ସ୍ଥାନ ହାସଲ କରିଛନ୍ତି । ଗୋଟିକ ପରେ ଗୋଟିଏ ବଡ଼ କମ୍ପାନୀ ରିଲାଏନ୍ସରେ ନିବେଶ କରିବା ଯୋଗୁ ରିଲାଏନ୍ସର ରାଜସ୍ୱ ଦ୍ରୁତ ବୃଦ୍ଧି ପାଉଛି । ଏବେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ସମ୍ପୂର୍ଣ୍ଣ ଋଣମୁକ୍ତ କମ୍ପାନୀ । ସଦ୍ୟ ସୂଚନାରୁ ଜଣାଯାଏ ରିଲାଏନ୍ସ ଅନ୍ୟତମ ବୃହତ୍‌ ଅନ୍‌ଲାଇନ୍‌ ଫାର୍ମାସି କମ୍ପାନୀ ନେଟ୍‌ମେଡ୍‌ସରେ ୬୨୦ କୋଟି ଟଙ୍କା ନିବେଶ କରିଛି । ଏହା ପୂର୍ବରୁ ଆମାଜନ ଭାରତରେ ଅନ୍‌ଲାଇନ୍‌ ଔଷଧ ବିକ୍ରି ସେବା ଆରମ୍ଭ କରିଥିବାରୁ ଏଣିକି ଆମାଜନକୁ ରିଲାଏନ୍ସ ସହ ପ୍ରତିଦ୍ୱନ୍ଦିତା କରିବାକୁ ହେବ ।
ରିଲାଏନ୍ସ ପକ୍ଷରୁ କୁହାଯାଇଛି ଆମର ୬୦ ପ୍ରତିଶତ ନିବେଶ ବିଟାଲିକ ହେଲ୍‌ଥ ପ୍ରାଇଭେଟ୍‌ ଲିମିଟେଡ୍‌ରେ ଅଛି । ଏହାସହ ୧୦୦ ପ୍ରତିଶତ ମାଲିକାନା ହକ୍‌ ଅଛି ଏହାର ସହଯୋଗୀ କମ୍ପାନୀରେ । ବିଟାଲିକ୍‌ ଓ ତା’ର ସହଯୋଗୀ କମ୍ପାନୀଗୁଡ଼ିକ ନେଟ୍‌ମେଡ୍‌ସ ନାମରେ ଜଣାଶୁଣା ଯାହା ୨୦୧୫ରେ ସ୍ଥାପିତ ହୋଇଥିଲା ।
କହିବାବାହୁଲ୍ୟ କରୋନା ସଙ୍କଟ ସମୟରେ ଅନ୍‌ଲାଇନ୍‌ ସପିଂ ଖୁବ୍‌ ଜନାଦୃତି ଲାଭକରିଛି । ଆମାଜନ, ୱାଲ୍‌ମାର୍ଟ ଅଧୀନରେ ଥିବା ଫ୍ଲିପ୍‌କାର୍ଟ ଓ ରିଲାଏନ୍ସ ଗ୍ରସରି ସେବା ଆରମ୍ଭ କରିଛନ୍ତି । ଜିଓ ମାର୍ଟ ଜରିଆରେ ଅନ୍‌ଲାଇନ୍‌ ସପିଂର ବଡ଼ ରେଞ୍ଜ ଲଞ୍ଚ ହୋଇଛି ।
ଏବେ ଭାରତରେ ମେଡ୍‌ଲାଇଫ୍‌, ନେଟ୍‌ମେଡ୍ସ, ଫାର୍ମଇଜି, ଇ-ଫାରେସିଜ ଏବଂ ୧ଏଏମ୍‌ଜି ପ୍ରଭୃତି କମ୍ପାନୀ ଅନ୍‌ଲାଇନ୍‌ ଔଷଧ ବିକ୍ରି କରୁଛନ୍ତି । ଏପର୍ଯ୍ୟନ୍ତ କିନ୍ତୁ ଅନ୍‌ଲାଇନ୍‌ ଔଷଧ ବିକ୍ରି ସମ୍ବନ୍ଧୀୟ ନିୟମାବଳିକୁ ଚୂଡ଼ାନ୍ତ ରୂପ ଭାରତରେ ଦିଆଯାଇ ନାହିଁ ।

Comments are closed.